Wednesday, April 25, 2018
ଅଧର୍ମ ବିନାଶକାରୀ ଭଗବାନ ନୃସିଂହ
ବୈଶାଖ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ଭଗବାନ ନୃସିଂହଙ୍କ ଜୟନ୍ତୀ ପାଳନ କରାଯାଇଥାଏ । ମହାନୃସିଂହ ହେଉଛନ୍ତି ଶକ୍ତିର ଦେବତା । ପୌରାଣିକ ମାନ୍ୟତା ଅନୁଯାୟୀ, ଉପରୋକ୍ତ ପବିତ୍ର ତିଥିରେ ଶ୍ରୀହରି ବିଷ୍ଣୁ ନୃସିଂହ ଅବତାରରେ ପ୍ରକଟ ହୋଇଥିଲେ । ସେ ଦୈତ୍ୟରାଜ ହିରଣ୍ୟକଶିପୁର ବଧ କରିଥିଲେ । ଭଗବାନ ବିଷ୍ଣୁ ଅଧର୍ମ ନାଶ କରିବା ଲାଗି ଅନେକ ଅବତାର ନେଇଛନ୍ତି । ସେ ଅବତାର ନେବା ପରେ ପୃଥିବୀରେ ଧର୍ମ ପ୍ରତିଷ୍ଠା ହୋଇଛି । ଶ୍ରୀବିଷ୍ଣୁ ସର୍ବଦା ନିଜ ଭକ୍ତମାନଙ୍କୁ ସଂକଟରୁ ରକ୍ଷା କରିଥାନ୍ତି । ଶ୍ରୀମଦ୍ ଭାଗବତରେ ଆରମ୍ଭରୁ ଭଗବାନ ନୃସିଂହଙ୍କୁ ସ୍ତୁତି କରାଯାଇ ଲେଖାଯାଇଛି "ନମଇଁ ନୃସିଂହ ଚରଣ, ଅନାଦି ପରମ କାରଣ' । ଅଧର୍ମର ବିନାଶ ଲାଗି ଶ୍ରୀହରି ନେଇଥିବା ବିଭିନ୍ନ ଅବତାର ମଧ୍ୟରୁ ନୃସିଂହ ଅବତାରରେ ସେ ଦୈତ୍ୟରାଜ ହିରଣ୍ୟକଶିପୁର ବିନାଶ କରିଥିଲେ । ଧାର୍ମିକ ଗ୍ରନ୍ଥରେ ଥିବା ବର୍ଣ୍ଣନା ଅନୁଯାୟୀ, ଦୈତ୍ୟରାଜ ହିରଣ୍ୟକଶିପୁ ନିଜକୁ ଭଗବାନଙ୍କ ଠାରୁ ଅଧିକ ଶକ୍ତିଶାଳୀ ବୋଲି ଭାବୁଥିଲା । ସେ ବ୍ରହ୍ମାଙ୍କ ଠାରୁ ବରଦାନ ପାଇଥିଲା । ତାକୁ ମନୁଷ୍ୟ, ଦେବତା, ପକ୍ଷୀ, ପଶୁ ମାରିପାରିବେ ନାହିଁ । ଦିନରେ, ରାତିରେ, ଭୂମିରେ, ଆକାଶରେ, ଅସ୍ତ୍ରରେ କିମ୍ବା ଶସ୍ତ୍ରରେ ସେ ମରିବ ନାହିଁ ବୋଲି ବର ପାଇଥିଲା । ଏହି ବର ପାଇଁ ସେ ଅହଂକାରୀ ହୋଇ ଉଠିଥିଲା । ତା'ର ରାଜ୍ୟରେ ଭଗବାନ ବିଷ୍ଣୁଙ୍କୁ ପୂଜା କରୁଥିବା ଲୋକକୁ ସେ ଦଣ୍ଡ ଦେଉଥିଲା । ହିରଣ୍ୟକଶିପୁର ପୁତ୍ର ଥିଲେ ପ୍ରହ୍ଲାଦ । ପ୍ରହ୍ଲାଦ ପିଲାଦିନୁ ଭଗବାନ ବିଷ୍ଣୁଙ୍କର ପରମଭକ୍ତ ଥିଲେ । ଏହି କଥା ଜାଣିବା ପରେ ହିରଣ୍ୟକଶିପୁ କ୍ରୋଧିତ ହୋଇପଡ଼ିଥିଲା । ସେ ପ୍ରହ୍ଲାଦଙ୍କୁ ବୁଝାଇଲା । କହିଲା, ବିଷ୍ଣୁଙ୍କୁ ଛାଡ଼ି ମୋତେ ପୂଜା କର । ମାତ୍ର ପ୍ରହ୍ଲାଦ ଏଥିପାଇଁ ରାଜି ହେଲେ ନାହିଁ । ହିରଣ୍ୟକଶିପୁ ନିଜ ପୁତ୍ରକୁ ମୃତ୍ୟୁଦଣ୍ଡ ଦେଲା । କିନ୍ତୁ ଭଗବାନଙ୍କ ଚମକ୍ରାର ଯୋଗୁ ପ୍ରହ୍ଲାଦଙ୍କର କୌଣସି କ୍ଷତି ହେଲା ନାହିଁ । ଭଉଣୀ ହୋଲିକା କୋଳରେ ବସାଇ ପ୍ରହ୍ଲାଦଙ୍କୁ ମାରିବାକୁ ଚାହିଁଲା ହିରଣ୍ୟକଶିପୁ । ମାତ୍ର ନିଅାଁରେ ହୋଲିକା ପୋଡ଼ିମଲା । ପ୍ରହ୍ଲାଦଙ୍କର କୌଣସି କ୍ଷତି ହେଲା ନାହିଁ । ଶ୍ରୀବିଷ୍ଣୁଙ୍କର ଦଶ ଅବତାର ମଧ୍ୟରେ ଭଗବାନ ନୃସିଂହ ଚତୁର୍ଥ ଅବତାର ଅଟନ୍ତି । ସିଂହ ଭଳି ମସ୍ତକ ଏବଂ ମନୁଷ୍ୟ ଶରୀର ଧାରଣ କରି ପ୍ରଭୁ ନୃସିଂହ ବୈଶାଖ ମାସ ଶୁକ୍ଳ ଚତୁର୍ଦ୍ଦଶୀରେ ଆବିର୍ଭୂତ ହୋଇଥିଲେ । ଭକ୍ତ ପ୍ରହ୍ଲାଦଙ୍କୁ ନିର୍ଯାତନା ମୁକ୍ତ କରିବା ପାଇଁ ପ୍ରଭୁ ନୃସିଂହ ରୂପରେ ସ୍ତମ୍ଭରୁ ବାହାରି ରାକ୍ଷସରାଜ ହିରଣ୍ୟକଶିପୁର ବଧ କରିଥିବା ପୁରାଣରେ ବର୍ଣ୍ଣନା ରହିଛି । ନୃସିଂହ ପୁରାଣରେ ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ନୃସିଂହ ବ୍ରତ ଏବଂ ପୂଜାର ଫଳ କଥା ବର୍ଣ୍ଣନା କରାଯାଇଛି । ଏଥିରେ ଭକ୍ତ ପ୍ରହ୍ଲାଦଙ୍କ ଭକ୍ତି ବିଷୟରେ ପ୍ରଭୁ ନୃସିଂହ କହିଛନ୍ତି ପୂର୍ବ ଜନ୍ମରେ ଅବନ୍ତୁ ନଗରୀରେ ବାସ କରୁଥିବା ସୁଜ୍ଞାନୀ ବ୍ରାହ୍ମଣ ବସୁ ଶର୍ମାଙ୍କ ପୁତ୍ର ଥିଲେ ପ୍ରହ୍ଲାଦ । ବିଦ୍ୟା ଅଧ୍ୟୟନ ଛାଡ଼ି ସେ ସୁରାପାନ ଏବଂ ଗଣିକାଳୟ ଗମନ ଆଦି କୁକର୍ମରେ ଲିପ୍ତ ରହିଥିଲେ । ଏକଦା ଗଣିକାଙ୍କ ସହ କଳହ କରି ସେ ସେହି ଦିନ ଉପବାସ ଏବଂ ରାତି ଉଜାଗର ରହିଲେ । ଉକ୍ତ ଗଣିକା ମଧ୍ୟ ତାଙ୍କ ସହଉଜାଗର ରହିଲା । ଭାଗ୍ୟକୁ ସେଦିନ ଥିଲା ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ । ନୃସିଂହ ଜୟନ୍ତୀ ଦିନ ବ୍ରାହ୍ମ ମୁହୂର୍ତ୍ତରୁ ଉଠି ସ୍ନାନ ଆଦି କର୍ମରୁ ନିବୃତ୍ତ ହୋଇ ସ୍ୱଚ୍ଛ ବସ୍ତ୍ର ଧାରଣ କରିବା ଉଚିତ । ଭଗବାନ ନୃସିଂହଙ୍କୁ ବିଧିବିଧାନ ଅନୁଯାୟୀ ପୂଜା କରିବା ଆବଶ୍ୟକ । ଭଗବାନ ନୃସିଂହଙ୍କ ସହିତ ଦେବୀ ଲକ୍ଷ୍ମୀଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ । ଏହା ପରେ ମନ୍ତ୍ର ଉଚ୍ଚାରଣ କରି ଭଗବାନ ନୃସିଂହଙ୍କ ଷୋଡ଼ଶୋପଚାର ପୂଜା କରନ୍ତୁ । ଭଗବାନ ନୃସିଂହଙ୍କ ପୂଜା ନିମନ୍ତେ ଫଳ, ଫୁଲ, କୁଙ୍କୁମ, କେସର, ଶ୍ରୀଫଳ, ଅକ୍ଷତ, ପୀତାମ୍ବର ରଖିବା ଉଚିତ । ଗଙ୍ଗାଜଳ, କଳା ରାଶି, ପଞ୍ଚଗବ୍ୟ ଏବଂ ହୋମ ଆଦି ସାମଗ୍ରୀ ମଧ୍ୟ ପୂଜାରେ ଉପଯୋଗ କରାଯାଇପାରିବ । ଭଗବାନ ନୃସିଂହଙ୍କୁ ପ୍ରସନ୍ନ କରିବା ଲାଗି ନୃସିଂହ ଗାୟତ୍ରୀ ମନ୍ତ୍ର "ଓଁ ଉଗ୍ରନୃସିଂହାୟ ବିଦ୍ମହେ ବଜ୍ରନଖାୟ ଧୀମହି! ତନ୍ନୋ ନରସିଂହ ପ୍ରଚୋଦୟାତ୍ ।' କିମ୍ବା "ଓଁ ବଜ୍ରନଖାୟ ବିଦ୍ମହେ ତୀକ୍ଷ୍ମଦଂଷ୍ଟ୍ରାୟ ଧୀମହି, ତନ୍ନୋ ନରସିଂହ ପ୍ରଚୋଦୟାତ୍' ଜପ କରିବା ଉଚିତ । ପୂଜା ଶେଷ ହେବା ପରେ ମଧ୍ୟ କୁଶ ନିର୍ମିତ ଆସନରେ ବସି ରୁଦ୍ରାକ୍ଷ ମାଳା ଦ୍ୱାରା ନୃସିଂହ ଭଗବାନଙ୍କ ମନ୍ତ୍ର ଜପ କରାଯାଇପାରିବ । ଏହି ଦିନ ନିଜ ସାମର୍ଥ୍ୟ ଅନୁଯାୟୀ, ରାଶି, ସୁବର୍ଣ୍ଣ କିମ୍ବା ବସ୍ତ୍ରାଦି ଦାନ କରିବା ଉଚିତ । ଏହି ବ୍ରତ କରୁଥିବା ବ୍ୟକ୍ତି ସମଗ୍ର ଲୌକିକ ଦୁଃଖରୁ ମୁକ୍ତି ପାଇଥାଏ । ନୃସିଂହଙ୍କ ମନ୍ତ୍ର "ଓଁ ଉଗ୍ରଂ ବୀରଂ ମହାବିଷ୍ଣୁଂ ଜ୍ୱଳନ୍ତଂ ସର୍ବତୋମୁଖମ୍ । ନୃସିଂହଂ ଭୀଷଣଂ ଭଦ୍ରଂ ମୃତ୍ୟୁ ମୃତ୍ୟୁଂ ନମାମ୍ୟହମ୍ ।' "ଓଁ ନୃମ ନୃମ ନୃମ ନରସିଂହାୟ ନମଃ ।' ମନ୍ତ୍ର ଦ୍ୱାରା ମଧ୍ୟ ନୃସିଂହ ଭଗବାନଙ୍କୁ ଉପାସନାକରାଯାଇପାରିବ । ଶ୍ରୀମଦ୍ ଭଗବତ୍ ଗୀତାର ଦଶମ ଅଧ୍ୟାୟ ୩୦ତମ ଶ୍ଳୋକରେ ଭଗବାନ ଶ୍ରୀକୃଷ୍ଣ ଉପଦେଶ ଛଳରେ ପାଣ୍ଡପୁତ୍ର ଅର୍ଜ୍ଜୁନଙ୍କୁ କହୁଛନ୍ତି "ପ୍ରହ୍ଲାଦଶ୍ଚାସ୍ମି ଦୈତ୍ୟାନାଂ କାଳଃ କଳୟତାମହମ୍ । ମୃଗାଣାଂ ଚ ମୃଗେନ୍ଦ୍ରୋଽହଂ ବୈନତେୟଶ୍ଚ ପକ୍ଷୀଣାମଃ ।' ଅର୍ଥାତ୍ ଦୈତ୍ୟମାନଙ୍କ ମଧ୍ୟରୁ ମୁଁ ହେଉଛି ପ୍ରହ୍ଲାଦ ଏବଂ ଗଣନାକାରୀଙ୍କ ମଧ୍ୟରେ କାଳ ତଥା ମୁଁ ପଶୁ ମାନଙ୍କ ମଧ୍ୟରେ ସିଂହ ଓ ପକ୍ଷୀମାନଙ୍କ ମଧ୍ୟରେ ଗରୁଡ଼ । ସହଜ ଅର୍ଥରେ କହିଲେ ଭଗବାନ ଶ୍ରୀକୃଷ୍ଣ ଭକ୍ତ ପ୍ରହ୍ଲାଦଙ୍କୁ ସର୍ବଶ୍ରେଷ୍ଠ ଦୈତ୍ୟ ରୂପେ ବର୍ଣ୍ଣନା କରିଛନ୍ତି । ପ୍ରହ୍ଳାଦଙ୍କ ପବିତ୍ର ଜୀବନ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ । ତାଙ୍କ ଜୀବନରୁ ଆମକୁ ଅନେକ ଶିକ୍ଷା ମିଳିଥାଏ । ଯେପରିକି - ସର୍ବଶକ୍ତିମାନ ଈଶ୍ୱରଙ୍କ ଠାରେ ସର୍ବଦା ବିଶ୍ୱାସ ରଖିବା ଉଚିତ । ନିଶ୍ଚଳ ଭକ୍ତି ପାଇଁ କୌଣସି ବୟସସୀମା ନଥାଏ । ଭଗବାନ ସର୍ବତ୍ର ବିରାଜମାନ କରିଥାନ୍ତି । ଭଗବାନ ସବୁବେଳେ ଉପସ୍ଥିତ ଥାଆନ୍ତି । ଈଶ୍ୱର ନିଜ ଭକ୍ତକୁ ସର୍ବଦା ରକ୍ଷା କରିଥାନ୍ତି । ଦୁଷ୍ଟମାନଙ୍କର ସଂହାର କରିଥାନ୍ତି । ଅଜ୍ଞାତରେ ହେଲେ ବି ସେ ଦୁହେଁ ଉପବାସ ରହିଛି ସେ ଦିନ ବ୍ରତ ପାଳନ କରିଥିବାରୁ ସମସ୍ତ ପାପରୁ ମୁକ୍ତ ହେଲେ । ପୂଣ୍ୟ ଅର୍ଜନ କରିଥିବାରୁ ଉକ୍ତ ଗଣିକା ବ୍ରତ ଫଳରୁ ଅପ୍ସରା ହୋଇ ସ୍ୱର୍ଗକୁ ଫେରିଗଲା । ଭକ୍ତ ପ୍ରହ୍ଲାଦ ହିରଣ୍ୟକଶିପୁର ପୁତ୍ର ରୂପେ ଜନ୍ମ ନେଇ ଶ୍ରୀବିଷ୍ଣୁଙ୍କ ପରମ ଭକ୍ତ ହେଲେ । ନୃସିଂହ ବ୍ରତ କଲେ ଭକ୍ତ ଦୀର୍ଘାୟୁ, ଧନ, ଐଶ୍ୱର୍ଯ୍ୟ ଲାଭ କରିଥାଏ । ମହିଳାମାନେ ସ୍ୱାମୀ-ସନ୍ତାନ ସୁଖ ପ୍ରାପ୍ତ କରିଥାନ୍ତି । ଏହି ଦିନ ପୁରୀ ଶ୍ରୀମନ୍ଦିରରେ ନୃସିଂହ ଜନ୍ମୋତ୍ସବ ପାଳନ କରାଯାଇଥାଏ ।
Subscribe to:
Posts (Atom)